Unknown

 

 

 

 

 

 

 

 

 

ବାମଣ୍ଡା

କବିବର ରାଧାନାଥ ରାୟ

 

ଜୁଆଳିବନ୍ଧାରୁ ନଈକୂଳକୁ ଯିବାକୁ ପ୍ରାୟ ଏକ ଘଣ୍ଡା ସମୟ ଲାଗିଲା । ନଈକୂଳ ବ୍ରାହ୍ମଣୀ ତୀରବର୍ତ୍ତୀ ଗୋଟିଏ ପ୍ରଧାନ ସ୍ଥାନ । ଗୋଟିଏ କ୍ଷୁଦ୍ର ସହର ପ୍ରାୟ ବୋଧ ହେଲା। ଏଠାରେ ଥାନା, ସ୍କୁଲ୍‌, ଗୋଦାମ ଏବଂ ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟାଳୟ ଅଛି । ନଦୀର ସମାନ୍ତରାଳ ହୋଇ ଗୋଟିଏ ପ୍ରଶସ୍ତ ସଡ଼କ ଗ୍ରାମକୁ ଦୁଇଭାଗରେ ବିଭକ୍ତ କରିଅଛି । ପୂର୍ବୋକ୍ତ ରେଙ୍ଗାଳି ସଡ଼କ ଏହି ସଡ଼କରେ ସମ୍ପୃକ୍ତ ହୋଇଅଛି ଏବଂ ଏହି ସଡ଼କ ନାନା ଗ୍ରାମ ଓ ଅରଣ୍ୟ ଭେଦ କରି ବାମଣ୍ଡା ରାଜଧାନୀ ଦେବଗଡ଼ ପର୍ଯ୍ୟନ୍ତ ବିସ୍ତୃତ ହୋଇଅଛି । ସ୍ଥାନଟି ଅତି ପରିଷ୍କୃତ । ବିଶେଷତଃ ଲୋକମାନେ ଏହାକୁ ପରିଷ୍କୃତ ରଖିବା ବିଷୟରେ ଅଭ୍ୟସ୍ତ ହୋଇଥିବାର ସମ୍ପୂର୍ଣ୍ଣ ପରିଚୟ ମିଳିଲା-। ପ୍ରାତଃକାଳରେ ଆମ୍ଭେମାନେ ନଈକୂଳ ପରିତ୍ୟାଗ କରି ଗୋଗୁଆରେ ଉପସ୍ଥିତ ହେଲୁଁ। ଗୋଗୁଆ ବ୍ରାହ୍ମଣୀ ତୀରବର୍ତ୍ତୀ ଗୋଟିଏ ପ୍ରଧାନ ପଲ୍ଲୀ ଏବଂ ପୂର୍ବୋକ୍ତ ପ୍ରଧାନ ସଡ଼କଦ୍ୱାରା ଦ୍ୱିଧା ବିଭକ୍ତ । ଏଠାରେ ଗୋଟିଏ ବୃହତ୍ ଗୋଦାମ ଏବଂ ଗୋଟିଏ ବିଦ୍ୟାଳୟ ମଧ୍ୟ ଅଛି । ପଥିକମାନଙ୍କ ଅବସ୍ଥାନ ନିମନ୍ତେ ଉତ୍ତମ ଗୃହ ମଧ୍ୟ ଅଛି ।

ଗୋଗୁଆରୁ ଗାଙ୍ଗନଳ ପ୍ରାୟ ଓଳିକର ବାଟ । ସମ୍ବଲପୁରରୁ ମେଦିନୀପୁର ପର୍ଯ୍ୟନ୍ତ ବିସ୍ତୃତ ପ୍ରାଚୀନ ସାମରିକ ସଡ଼କପାର୍ଶ୍ୱରେ ଗାଙ୍ଗନଳ ଅବସ୍ଥିତ । ପଥିକମାନଙ୍କର ରହିବା ସକାଶେ ଏଠାରେ ପଟାର ମଞ୍ଚ ଏବଂ ଅନ୍ୟାନ୍ୟ ଗୃହାଦି ଅଛି । ଗୋଟିଏ ଗିରିନଦୀ ପ୍ରବାହିତ ହୋଇ ସ୍ଥାନକୁ ବାସଯୋଗ୍ୟ କରାଇଅଛି । ବାମଣ୍ଡାର ଅନ୍ୟାନ୍ୟ ଗ୍ରାମ ପରି ଏଠାରେ ମଧ୍ୟ ସଡ଼କର ଅଭାବ ନାହିଁ ଏବଂ ଲୋକମାନେ ଅତ୍ୟାଚାର ବ୍ୟତୀତ ମ୍ୟୁନ୍‌ସିପାଲିଟିର ସମସ୍ତ ସୁବିଧା ଉପଭୋଗ କରୁଥିବାର ବୋଧ ହେଲା ।

ଗାଙ୍ଗନଳରୁ ଆମ୍ଭେମାନେ ପ୍ରାୟ ତିନି କ୍ରୋଶ ଯାଇ ଗିରିନଦୀ ତୀରବର୍ତ୍ତୀ ସୁଗଡ଼ା ଗ୍ରାମରେ ଉପସ୍ଥିତ ହେଲୁଁ । ସୁଗଡ଼ା ଗୋଟିଏ ସମୃଦ୍ଧିଶାଳୀ ପଲ୍ଲୀ, ଏହି ସ୍ଥାନରୁ ଦେବଗଡ଼ ତିନି କ୍ରୋଶରୁ ଅଧିକ ନୁହେଁ । ସୁଗଡ଼ାରେ ଆହାରାଦି କରି ଆମ୍ଭେମାନେ ବାସୁଦେବପୁର ଶାସନ ଦେଖିବା ଉଦ୍ଦେଶ୍ୟରେ ସଡ଼କ ପରିତ୍ୟାଗପୂର୍ବକ ପଶ୍ଚିମାଭିମୁଖ ହେଲୁଁ । ବାସୁଦେବପୁର ଶାସନ ବାମଣ୍ଡାର ବର୍ତ୍ତମାନ ମହାରାଜଙ୍କ କର୍ତ୍ତୃକ ସ୍ଥାପିତ ଏବଂ ତାହାଙ୍କ ନାମାନୁସାରେ ନାମିତ । ଗ୍ରାମ ମଧ୍ୟରେ ପ୍ରବେଶ କରି ଗ୍ରାମର ସୁବ୍ୟବସ୍ଥା ଦେଖି ଆମ୍ଭେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ମଝିରେ ପ୍ରଶସ୍ତ ସଡ଼କ ଏବଂ ଉଭୟ ପାର୍ଶ୍ୱରେ ସାହେବମାନଙ୍କ ବଙ୍ଗଳାପରି ଏକାକୃତି ଓ ଏକାବୟବବିଶିଷ୍ଟ ଖଡ଼ିମାଟିଧୌତ ମାଟିର ବଙ୍ଗଳାମାନ ଶ୍ରେଣୀବଦ୍ଧ ହୋଇ ରହିଅଛି । ଗ୍ରାମର ଅନତିଦୂରରେ ବନ ବର୍ତ୍ତିତ ହୋଇ ହସ୍ତିଦ୍ୱାରା ପ୍ରଚୁର ଭୂମି ଆବାଦ ହୋଇଅଛି । ଏହି ଭୂମି ବ୍ରାହ୍ମଣମାନେ ବୃତ୍ତିସ୍ୱରୂପ ପାଇଅଛନ୍ତି । ଅନାବୃଷ୍ଟି ଭୟରୁ ମଧ୍ୟ ବ୍ରାହ୍ମଣମାନେ ସୁରକ୍ଷିତ । ଗ୍ରାମର ଉତ୍ତରରେ ଗୋଟିଏ ଉଚ୍ଚ ସେତୁଦ୍ୱାରା ଗିରିନଦୀର ଜଳ ସଞ୍ଚିତ ହୋଇ ପ୍ରାୟ ଅର୍ଦ୍ଧକ୍ରୋଶବ୍ୟାପୀ ଗୋଟିଏ ବୃହତ୍ ହ୍ରଦରୂପେ ପରିଣତ ହୋଇଅଛି । ଶୁଣି ଅତ୍ୟନ୍ତ ଦୁଃଖିତ ହେଲି ଯେ ଏହି ବ୍ରାହ୍ମଣମାନେ ଏତେ ସୁବିଧା ପାଇ ସୁଦ୍ଧା ବିଦ୍ୟା ଅଧ୍ୟୟନ ବିଷୟରେ ଆଶାନୁରୂପ ମନୋଯୋଗୀ ହୋଇ ନାହାନ୍ତି ।

 

ବାସୁଦେବପୁର ଶାସନ ଦର୍ଶନ ଉତ୍ତାରୁ ଆମ୍ଭେମାନେ ଅରଣ୍ୟମାର୍ଗରେ ଯାଇ ପୂର୍ବୋକ୍ତ ପ୍ରଧାନ ସଡ଼କରେ ଉପସ୍ଥିତ ହେଲୁଁ । ଦେବଗଡ଼ ଅତି ସୁନ୍ଦର, ପରିଷ୍କୃତ, କ୍ଷୁଦ୍ର ନଗର, ଉତ୍ତରରୁ ଦକ୍ଷିଣକୁ ପ୍ରସାରିତ । ସଡ଼କମାନ ସୁସଂସ୍କୃତ ଅବସ୍ଥାରେ ପରିରକ୍ଷିତ ଏବଂ ସମାନ୍ତରାଳ ପୟଃପ୍ରଣାଳୀଦ୍ୱାରା ପରିଶୋଭିତ । ଉତ୍ତରପାର୍ଶ୍ୱରେ ଶ୍ୟାମାଙ୍ଗ ପ୍ରଧାନ ପାଟ, ଶୈଳ ପ୍ରାଚୀର ପ୍ରାୟ ଦଣ୍ଡାୟମାନ, ବକ୍ଷସ୍ଥଳରେ ସ୍ୱଚ୍ଛପ୍ରପାତ କୌସ୍ତୁଭ ମଣି ପ୍ରାୟ ଶୋଭା ପାଉଅଛି । ସହରରେ ପ୍ରବିଷ୍ଟ ହୋଇ ମଧ୍ୟବର୍ତ୍ତୀ ପ୍ରଧାନ ଦାଣ୍ଡ ଦେଇ କ୍ରମଶଃ ଉତ୍ତରମୁଖରେ ଆମ୍ଭେମାନେ ଅଗ୍ରସର ହେବାକୁ ଲାଗିଲୁଁ । ସାଧାରଣ କାର୍ଯ୍ୟାଳୟ ମଧ୍ୟରେ ସର୍ବପ୍ରଥମରେ ଛାପାଖାନା, ହାସପାତାଳ, ଥାନା, ଜେଲଖାନା, ସ୍କୁଲ ଏବଂ ରାଜକଚେରି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟାଳୟ ଶିରୋଦେଶରେ ସେହି କାର୍ଯ୍ୟବ୍ୟଞ୍ଜକ ପ୍ରତିମୂର୍ତ୍ତି ଗଠିତ ହୋଇ ଦର୍ଶକମାନଙ୍କର କୌତୁକାବହ ହୋଇଅଛି । ରାଜକଚେରି ଗୃହଟି ସୁଦୃଶ୍ୟ ଏବଂ ସୁରୁଚିର ପରିଚାୟକ । ଏହି କଚେରି ଗୃହରେ ବ୍ୟାଘ୍ର, ସମ୍ଭର, ହରିଣ ପ୍ରଭୃତିର ଯେଉଁ ପ୍ରତିରୂପମାନ ଅଛି, ସେମାନଙ୍କ ରଚନାକୌଶଳ ନିତାନ୍ତ ସାଧାରଣ ନୁହେଁ । ମହାରାଜ ସ୍ୱୟଂ ଅଧ୍ୟକ୍ଷ ହୋଇ ସାମାନ୍ୟ କୋଲ ଶ୍ରମିକ ହସ୍ତରେ ଏଗୁଡ଼ିକ ପ୍ରସ୍ତୁତ କରାଇଥିବାର ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଆମ୍ଭମାନଙ୍କ ଅବସ୍ଥାନ ସକାଶେ ମହାରାଜ ବାସସ୍ଥାନର ବିହିତ ବନ୍ଦୋବସ୍ତ କରାଇଥିଲେ । ଆମ୍ଭେମାନେ ସେହି ସ୍ଥାନରେ ଆଶ୍ରୟ ଗ୍ରହଣ କଲା ଉତ୍ତାରୁ କେତେକ ଭଦ୍ରଲୋକଙ୍କ ସଙ୍ଗେ ସାକ୍ଷାତ୍ ହେଲା । କେତେବେଳେ ସାକ୍ଷାତ୍ କଲେ ମହାରାଜାଙ୍କର ସୁବିଧା ହେବ, ଏହି ବିଷୟ ଉକ୍ତ ଭଦ୍ରଲୋକମାନଙ୍କୁ ପଚାରିବାରେ ସେମାନେ କହିଲେ, ମହାରାଜଙ୍କର ସବୁବେଳେ ଅବସର । ଏହି ସମୟରେ ମହାରାଜ ସାକ୍ଷାତ୍ କରିବା ସକାଶେ ପତ୍ରଦ୍ୱାରା ଆହ୍ୱାନ କରି ପଠାଇଲେ । ନିଷ୍କର୍ମାଙ୍କର ପ୍ରାୟ ଅବସର ଥାଏ ନାହିଁ । ଯେଉଁମାନେ ଅଧିକ କାର୍ଯ୍ୟ କରନ୍ତି, ସେମାନଙ୍କର ଅଧିକ ଅବସର, ଏହି କଥାଟିର ଆମ୍ଭେମାନେ ଚାକ୍ଷୁଷ ପ୍ରମାଣ ପାଇଲୁଁ । ରାଜାହ୍ୱାନ ପ୍ରାପ୍ତହୋଇ ଆମ୍ଭେମାନେ ସେହିକ୍ଷଣି ଯାଇ ରାଜଦର୍ଶନ କଲୁଁ । ରାଜଦର୍ଶନ କରିବାକୁ ଅନେକ ଭଦ୍ରଲୋକଙ୍କର ସ୍ୱଭାବତଃ ପ୍ରବୃତ୍ତି ହୁଏ ନାହିଁ, ତାହାର କାରଣ ଏହି ଅଧିକାଂଶ ରାଜାମାନେ ଦର୍ଶନପ୍ରଦାନକୁ ବରଦାନ ତୁଲ୍ୟ ମନରେ କରି ଦର୍ଶକମାନଙ୍କୁ ଜ୍ଞାନତଃ ଅଥବା ଅଜ୍ଞାନତଃ ନାନାପ୍ରକାରେ ଅପମାନିତ କରନ୍ତି। ରାଜାନୁଚରମାନେ ଭଦ୍ର ବ୍ୟବହାରେ ଅନଭିଜ୍ଞ, ଯଦି ସେମାନଙ୍କର କିଛି ଅଭିଜ୍ଞତା ଥାଏ, ତାହା କେବଳ ‘‘ଅମୁକ ସ୍ଥାନରେ ଜୋତା ରଖିବାକୁ ହେବ’’ ‘‘ଅମୁକ ସ୍ଥାନରେ ଛତା ରଖିବାକୁ ହେବ’’ ‘‘ଅମୁକ ସ୍ଥାନରେ ଯଷ୍ଟି ରଖିବାକୁ ହେବ’’ ଏହିପରି ବିଷୟମାନଙ୍କ ପ୍ରତି ଆବଦ୍ଧ । ରାଜଦର୍ଶନବେଳେ ସେମାନେ ଏହି ଅଭିଜ୍ଞତାର ପରାକାଷ୍ଠା ପ୍ରଦର୍ଶନ କରନ୍ତି । ବାମଣ୍ଡାରେ ଏହି ଅସୁବିଧାର ଲେଶ ମାତ୍ର ନାହିଁ । ରାଜଦ୍ୱାର ଅବାରିତ, ମହାରାଜା ଆଦୌ ଉପାଧିଜଡ଼ିତ ନୁହନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାରାଙ୍କ ସଙ୍ଗେ ସାକ୍ଷାତ୍ କରି ବହୁ ଦିନର ଚକ୍ଷୁ କର୍ଣ୍ଣର ବିବାଦ ପ୍ରଶମିତ ହେଲା । ଭଦ୍ରତାର ପରାକାଷ୍ଠା ଦେଖି ଆମ୍ଭେମାନେ ମୋହିତ ହେଲୁଁ ।

 

ବାମଣ୍ଡାରେ ଆମ୍ଭମାନେ ୬ ଦିନ ଅବସ୍ଥାନ କଲୁଁ । ଏହି ୬ ଦିନ ମଧ୍ୟରେ ସ୍ଥାନୀୟ ତାବତ୍‌ ଦ୍ରଷ୍ଟବ୍ୟ ଦର୍ଶନ କଲୁଁ । ପୂର୍ବୋକ୍ତ ‘ପ୍ରଧାନ ପାଟ’ ଜଳପ୍ରପାତ ବାମଣ୍ଡାର ସର୍ବପ୍ରଧାନ ଦୃଶ୍ୟ । କେନ୍ଦୁଝରର ଖଣ୍ଡାଧାର ପ୍ରପାତ ଆମ୍ଭେମାନେ ଦେଖି ନାହୁଁ, ମାତ୍ର ପଞ୍ଚବଟୀ ଅନତିଦୂରବର୍ତ୍ତୀ ଗୋଦାବରୀ ଜଳପ୍ରପାତ ଏବଂ ଜବଲପୁର ନିକଟସ୍ଥ ନର୍ମଦାର ଧୂଆଁଧାର ନାମକ ଜଳପ୍ରପାତ ଆମ୍ଭେମାନେ ଏଥିପୂର୍ବେ ଦେଖିଥିଲୁଁ । ତଥାଚ ପ୍ରଧାନ ପାଟ ସମ୍ମୁଖରେ ଦଣ୍ଡାୟମାନ ହୋଇ ଆମ୍ଭେମାନେ ଭାବିଲୁଁ ଯେ ଏ ଦୃଶ୍ୟ ନ ଦେଖିଲେ ଚକ୍ଷୁଷ୍ମତ୍ତାର ପୂର୍ଣ୍ଣ ଫଳରୁ ବଞ୍ଚିତ ହୋଇଥାନ୍ତୁ । ମହାରାଜଙ୍କ ସମଭିବ୍ୟାହାରରେ ମୁଁ ପ୍ରପାତ ଦେଖିବାକୁ ଗଲି । ପ୍ରପାତ ରାଜଭବନର ଅର୍ଦ୍ଧମାଇଲ ମଧ୍ୟରେ ଅବସ୍ଥିତ । ଏହାର ଗଭୀର ଝର୍ଝର ଶବ୍ଦରେ ଦେବଗଡ଼ ସର୍ବଦା ଝଙ୍କାରିତ ହେଉଅଛି ।

 

ଆମ୍ଭେମାନେ ପଦବ୍ରଜରେ ଗଲୁଁ । ମହାରାଜ ପାଦଚାରରେ ସର୍ବଦା ଅଭ୍ୟସ୍ତ । ଅନୁଚରବର୍ଗ ଏବଂ ଅସ୍ତ୍ରଧାରୀ-ରକ୍ଷିଗଣରେ ପରିବୃତ ଏବଂ ଯାନାରୂଢ଼ ନ ହେଲେ କେହି କେହି ରାଜା ବହିର୍ଭ୍ରମଣ କରବିାର ଅରାଜୋଚିତ ମନେକରନ୍ତି । ଏହା ଉପରେ ଯେବେ ଚାମର କାହାଳୀ ପ୍ରଭୃତି ଥାଏ, ତେବେ ରାଜବିଧି ପୂର୍ଣ୍ଣମାତ୍ରାରେ ଅନୁଷ୍ଠିତ ହୁଏ । ବାମଣ୍ଡାରେ ଏ ଦୃଶ୍ୟ ବିରଳ। ମହାରାଜଙ୍କ ସଙ୍ଗେ ମୁଁ ଥିଲି, ଆଉ ଜଣେ ମାତ୍ର ଅନୁଚର ଥିଲା । ସର୍ବପ୍ରଥମରେ ଆମ୍ଭେମାନେ ମହାରାଜଙ୍କର ନବପ୍ରସ୍ତୁତ ଉଦ୍ୟାନ ଦେଖିଲୁଁ । ଅଳ୍ପଦିନ ମଧ୍ୟରେ ଏହି ଉଦ୍ୟାନ ଯେପରି ସୁନ୍ଦର ଏବଂ ବିଚିତ୍ର ହୋଇଅଛି, ସମୟରେ ଏହା ଯେ ବାମଣ୍ଡାର ଗୋଟିଏ ଉତ୍କୃଷ୍ଟ ଦୃଶ୍ୟ ମଧ୍ୟରେ ପରିଗଣିତ ହେବ, ଏଥିରେ ସନ୍ଦେହ ନାହିଁ । ଏହା ଉଦ୍ୟାନର ତରୁଲତା ପ୍ରଧାନ ପାଟ ପ୍ରପାତର ଜଳଦ୍ୱାରା ପରିପୋଷିତ । ସେହି ନିର୍ମଳ ଜଳର ପ୍ରଣାଳୀ ବହୁ ଧାରରେ ବିଭକ୍ତ ହୋଇ ଉଦ୍ୟାନର ଶୀତଳତା ସମ୍ପାଦନ କରୁଅଛି । ଉଦ୍ୟାନରେ ଦେଶୀୟ, ବୈଦେଶିକ ଏବଂ ପାର୍ବତୀୟ ନାନା ପ୍ରକାର ଅଭିନବ ଉଦ୍ଭିଦ ଦେଖିଲି । ଏହି ଉଦ୍ୟାନର ଉତ୍ତରରେ ମଠସମ୍ବଳିତ ଗୋଟିଏ ପ୍ରାଚୀନତର ଉଦ୍ୟାନ ଅଛି । ଏହାର ପାର୍ଶ୍ୱଦେଶରେ ପ୍ରଧାନ ପାଟର କୁଲ୍ୟା ପ୍ରବାହିତ ହେଉଅଛି । ଛାୟାବହୁଳ ହେବାରୁ ସ୍ଥାନଟି ସ୍ନିଗ୍‌ଧ। ଏଠାରେ ନାନା ପ୍ରକାର ବୈଦେଶିକ ଫଳର ବୃକ୍ଷ ଏବଂ ତମାଳ, ଛୁରିଅନା, ନାଗେଶ୍ୱର ପ୍ରଭୃତି ନାନା ପ୍ରକାର କାବ୍ୟୋଚିତ ବୃକ୍ଷମାନ ଅଛନ୍ତି । ଫଳଭାରାବନତ ଅତି ସୁମିଷ୍ଟ କମଳାଲେମ୍ଭୁର ଗଛ, ଫଳିତ କାଫି ଗଛ ଦର୍ଶକର ନେତ୍ରବିନୋଦନ କରୁଅଛି । ଏହି ସ୍ଥାନରେ ବିଦେଶାଗତ ସନ୍ନ୍ୟାସୀମାନଙ୍କୁ ସଦାବ୍ରତ ଦିଆଯାଏ । ଆମ୍ଭେମାନେ ଏହି ଉଦ୍ୟାନ ଦେଖି କ୍ରମଶଃ ଅରଣ୍ୟମାର୍ଗରେ ପ୍ରପାତାଭିମୁଖରେ ଗମନ କଲୁଁ । ପ୍ରପାତ ଜଳ ପର୍ବତର ପାଦଦେଶସ୍ଥିତ ଗୋଟିଏ କୁଣ୍ଡରେ ଝର୍ଝର ଶବ୍ଦରେ ପତିତ ହୋଇ ବହିଯାଉଅଛି । ପର୍ବତ ଉପରେ କିୟଦୂର ଚଢ଼ି ପୁଣି ଓହ୍ଳାଇବାକୁ ହୁଏ । ଅବତରଣ ସୁବିଧା ସକାଶେ ମହାରାଜ ପକ୍‌କା ଶିଡ଼ି ବନ୍ଧାଇ ଦେଇଅଛନ୍ତି-। ଏହି ସୋପାନଶ୍ରେଣୀରୁ, ପାଠକ ! ଆମ୍ଭେମାନେ ଯେଉଁ ଦୃଶ୍ୟ ଦେଖିଲୁଁ, ତାହା ଏକପ୍ରକାର ଅପାର୍ଥିବ ଦୃଶ୍ୟ, ସାକ୍ଷାତ୍ ବିଧାତାଙ୍କର କରୁଣା ପ୍ରସ୍ରବଣରୁ ନିଃସୃତ କରୁଣାଧାରୀ । ୬୦-୭୦ ହସ୍ତ ଉଚ୍ଚ ଭୃଗୁରୁ ସ୍ୱଚ୍ଛ ଜଳରାଶି ୨୫-୩୦ ହସ୍ତ ପ୍ରସ୍ତରେ ପାଦଦେଶସ୍ଥିତ କୁଣ୍ଡରେ ଆସି ପଡ଼ୁଅଛି । ହଠାତ୍ ଦେଖିଲେ ବୋଧହେବ, ଯେମନ୍ତ ଲକ୍ଷ ଲକ୍ଷ ହୀରକଖଣ୍ଡ ପୁଞ୍ଜୀଭୂତ ହୋଇ ସ୍ୱର୍ଗରୁ ଝସୁଅଛି-। ପ୍ରପାତର ଶିରୋଦେଶରେ ବନ୍ଧୁର ଶିଳାର ପ୍ରତିଘାତନିବନ୍ଧନ ଜଳବିନ୍ଦୁ ଇତସ୍ତତଃ ପ୍ରକ୍ଷିପ୍ତ ହୋଇ ମୁକ୍ତା ବୃଷ୍ଟି ହେଲା ପ୍ରାୟ ବୋଧ ହେଉଅଛି । ଜଳର ଶୀକରରେ ଇନ୍ଦ୍ରଧନୁ ନୃତ୍ୟ କରୁଅଛି । ଘୋର ଅରଣ୍ୟ ଏବଂ ଗିରିକନ୍ଦରସୁଲଭ ନିର୍ଜନତାରେ ଏହି ଅପ୍ସରା ଦୃଶ୍ୟ ଦେଖିଲେ ମନ କିପରି ହୁଏ, ତାହା ଯେବେ ତୁମ୍ଭର ଅନୁଭବ କରିବାର ଇଚ୍ଛା ଥାଏ, ଶ୍ରମସ୍ୱୀକାରପୂର୍ବକ ଥରେ ପ୍ରଧାନ ପାଟ ଦେଖିଆସ । ବିନା ଦର୍ଶନରେ ଏ ଭାବ ଅନୁଭୂତ ହେବାର ନୁହେଁ ।

ପ୍ରାୟ ଅର୍ଦ୍ଧଘଣ୍ଟାକାଳ ଆମ୍ଭେମାନେ ଏହି ଦୃଶ୍ୟ ଦେଖି ବସାକୁ ଫେରିଆସିଲୁଁ । ମାର୍ଗରେ ଆସୁ ଆସୁ ରୌଦ୍ର ପ୍ରଖର ହେବାରୁ ମୁଁ ଛତା ବ୍ୟବହାର କରିବାକୁ ବାଧ୍ୟହେଲି । ମହାରାଜାଙ୍କ ଛତା ଧରିବାପାଇଁ ତାହାଙ୍କର ଅନୁଚରଙ୍କୁ କହିଲି । ମହାରାଜ ସ୍ୱହସ୍ତରେ ଛତା ଧରିଲେ । ମୁଁ ଭାବିଲି ଯେ କେବଳ ଭଦ୍ରତାର ଆତିଶଯ୍ୟରୁ ଏପରି କରୁଅଛନ୍ତି । ଏହା ଭାବି ମୁଁ କହିଲି, ‘‘ମହାରାଜ! ଆପଣଙ୍କର ଯେପରି ଅଭ୍ୟାସ ଅଛି ସେହିପରି କରିବା ହେଉନ୍ତୁ ।’’ ମହାରାଜ କହିଲେ, ‘‘ମୁଁ ତ ସେହିତା କରୁଛି, କେହି ଧରିଲେ ସୁଖ ଲାଗେ ନାହିଁ ।’’ ଏ ଗୋଟିଏ ସାମାନ୍ୟ ଘଟନା ସତ୍ୟ, ମାତ୍ର ଏହିପରି ସାମାନ୍ୟ ସାମାନ୍ୟ ଘଟନାରୁ ଲୋକର ପ୍ରକୃତି ଚିହ୍ନା ପଡ଼େ । ରାଜାମାନେ ଆବାଲ୍ୟରୁ ଆଡ଼ମ୍ବରରେ ଅଭ୍ୟସ୍ତ । ଅଭ୍ୟାସ ଦ୍ୱିତୀୟ ପ୍ରକୃତି, ତେଣୁ ରାଜାମାନଙ୍କ ଆଡ଼ମ୍ବର ଦେଖି କେହି ବିରକ୍ତ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି ନାହିଁ । ମାତ୍ର ସାମାନ୍ୟ ସାମାନ୍ୟ କର୍ମଚାରୀମାନେ ଏପରି ବିଷୟମାନଙ୍କରେ ଯେମନ୍ତ ଆଶ୍ଚର୍ଯ୍ୟ ଅଭିନୟ ଦେଖାନ୍ତି, ତାହା ପାଠକ, ଅବଶ୍ୟ ତୁମ୍ଭେ ଦେଖିଥିବ ଏବଂ ତାହା ଦେଖି ମନୁଷ୍ୟ ସ୍ୱଭାବ ପ୍ରତି ତୁମ୍ଭର ଭକ୍ତି ବୃଦ୍ଧି ହୋଇଅଛି କି ନା, ତାହା ମନରେ ବୁଝୁଥିବ ।

ବାମଣ୍ଡା ବସ୍ଥାନ ସମୟରେ ପ୍ରଧାନ ପାଟ ପ୍ରପାତ ମୁଁ ତିନିଥର ଦେଖିଥିଲି। ପ୍ରତ୍ୟେକ ଥର ‘‘କ୍ଷଣେ କ୍ଷଣେ ଯନ୍ନବତାମୁପୈତି ତଦେବ ରମଣୀୟତାୟାଃ ।’’

 

ମାଘ କବିଙ୍କର ଏହି ପଂକ୍ତି ସ୍ମୃତିପଥରେ ଉଦିତ ହେଉଥିଲା । ଫଳତଃ ଏପରି ବିଚିତ୍ର ଦୃଶ୍ୟ ଭାରତବର୍ଷରେ ବିରଳ କହିଲେ ବୋଧହୁଏ ଅତ୍ୟୁକ୍ତି ହେବନାହିଁ ।

 

ଦେବଗଡ଼ର ପ୍ରାୟ ଅର୍ଦ୍ଧକ୍ରୋଶ ଦକ୍ଷିଣରେ ବାମଣ୍ଡାର ପୂର୍ବତନ ରାଜଧାନୀ ପୁରୁଣାଗଡ଼ ଅବସ୍ଥିତ । ସମ୍ପ୍ରତି ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଏବଂ ପ୍ରସ୍ତରସୋପାନବିଶିଷ୍ଟ ଗୋଟିଏ ସୁନ୍ଦର ପୁଷ୍କରିଣୀ ଅଛି । ଗୋଟିଏ ପାର୍ବତୀୟ ନିର୍ଝର ଏହି ପୁଷ୍କରିଣୀକି ଜଳ ଯୋଗାଉଅଛି । ଯଦିଚ ପ୍ରଧାନ ପାଟର ଜଳ କୃତ୍ରିମ ପୟଃ ପ୍ରଣାଳୀ ଦ୍ୱାରା ପ୍ରତ୍ୟେକ ଗୃହସ୍ଥର ଉପଭୋଗ୍ୟ ହୋଇଅଛି, ତଥାଚ ଜଳବାୟୁ ସମ୍ବନ୍ଧରେ ଦେବଗଡ଼ ସ୍ୱାସ୍ଥ୍ୟକର ବୋଲି ପ୍ରତିଷ୍ଠିତ ନୁହେ । ବୈଦେଶିକ ଲୋକମାନେ ଏଠାରେ ପ୍ରାୟ ଜ୍ୱର ରୋଗରେ ଆକ୍ରାନ୍ତ ହୁଅନ୍ତି । କେହି କେହି ବହୁ ବର୍ଷ ଏହିଠାରେ ଅତିବାହିତ କରି ସୁଦ୍ଧା ଅଦ୍ୟାପି ସାମୟିକ ଜ୍ୱରର ଶରବ୍ୟ ହେଉଅଛନ୍ତି ।

 

ଶିକ୍ଷା ବିଷୟରେ ମହାରାଜାଙ୍କର ଆଶାତୀତ ଉତ୍ସାହ ଦେଖି ଆମ୍ଭେମାନେ ଅତ୍ୟନ୍ତ ପ୍ରୀତ ହେଲୁଁ । ରାଜ୍ୟର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଅଛି ଏବଂ ସେହି ବିଦ୍ୟାଳୟ ସମୂହର ତତ୍ତ୍ୱାବଧାନ ଭାର ଜଣେ ସୁଦକ୍ଷ କର୍ମଚାରୀ ପ୍ରତି ଅର୍ପିତ ହୋଇଅଛି । ମଫସଲର ସ୍କୁଲମାନଙ୍କରେ ସମ୍ପ୍ରତି ଯେଉଁମାନେ ଶିକ୍ଷକତା କାର୍ଯ୍ୟ ଚଳାଉଅଛନ୍ତି, ସେମାନଙ୍କ ଅପେକ୍ଷା ଯୋଗ୍ୟତର ବ୍ୟକ୍ତି ନିଯୁକ୍ତ ହେବାର ବାଞ୍ଛନୀୟ। ମାତ୍ର ଶିକ୍ଷାର ପ୍ରଥମାବସ୍ଥାରେ ସୁଯୋଗ୍ୟ ବ୍ୟକ୍ତି ପାଇବା ସହଜ କଥା ନୁହେ ଏବଂ ଅପାତତଃ ଯେପରି ଲୋକ ସୁଲଭ, ସେହିମାନଙ୍କ ଦ୍ୱାରା କାର୍ଯ୍ୟ ଚଳାଇବାର ଯେଉଁ ବନ୍ଦୋବସ୍ତ ହୋଇଅଛି, ତାହା ସୁବିବେଚନାସଙ୍ଗତ ବୋଧହୁଏ ।

 

ଦେବଗଡ଼ସ୍ଥିତ ରାଜକୁମାର ସ୍କୁଲରେ କଲିକତା ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଯୋଗୀଶିକ୍ଷା ହେବାର ବିହିତ ବନ୍ଦୋବସ୍ତ ହୋଇଅଛି । ରାଜକୁମାର ସ୍କୁଲ କେବଳ ରାଜକୁମାରମାନଙ୍କ ଶିକ୍ଷା ନିମନ୍ତେ ପ୍ରତିଷ୍ଠିତ ହୋଇନାହିଁ । ଏହି ବିଦ୍ୟାଳୟ ରାଜ୍ୟ ମଧ୍ୟରେ ପ୍ରଧାନତମ ସାଧାରଣ ଶିକ୍ଷାମନ୍ଦିର । ଦୁଃଖର ବିଷୟ, ସମଗ୍ର ଓଡ଼ିଶା ଗଡ଼ଜାତ ମଧ୍ୟରେ ଆଜିପର୍ଯ୍ୟନ୍ତ ଏ ଶ୍ରେଣୀର ଗୋଟିଏ ବିଦ୍ୟାଳୟ ସୁଦ୍ଧା ସ୍ଥାପିତ ହୋଇନାହିଁ ।

 

ଅଳଙ୍କାରବୋଧୋଦୟ ପ୍ରଣେତା ମହାରାଜ ବାସୁଦେବ ସଂସ୍କୃତ ଭାଷାରେ ସୁପଣ୍ଡିତ । ଏହାର ପରିଚୟ ବୋଧହୁଏ ଶିକ୍ଷିତ ଉତ୍କଳବାସୀଙ୍କୁ ଦେବାର ଅନାବଶ୍ୟକ । ଓଡ଼ିଆ ଭାଷାର ଉତ୍କର୍ଷ ସାଧନ ବିଷୟରେ ମଧ୍ୟ ତାଙ୍କର ଯଥେଷ୍ଟ ଆସ୍ଥା ଲକ୍ଷିତ ହେଲା ।

 

ପ୍ରତ୍ୟେକ ବିଭାଗର କାର୍ଯ୍ୟ ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ କରି, ଏକାକୀ ପଦବ୍ରଜରେ ତାବତ୍‌ ସାଧାରଣ କାର୍ଯ୍ୟାଳୟ, ଅଶ୍ୱଶାଳ, ସଦାବ୍ରତ ଏବଂ ଉଦ୍ୟାନାଦି ପରିଭ୍ରମଣ ମରି ସୁଦ୍ଧା ମହାରାଜ ପତ୍ୟହ ପ୍ରାୟ ୬-୭ ଘଣ୍ଟାକାଳ ସଂସ୍କୃତ ଏବଂ ବଙ୍ଗୋକୁଳ ପୁସ୍ତକାଲୋଚନାରେ ଏବଂ ପଣ୍ଡିତମାନଙ୍କ ସହିତ ଶାସ୍ତ୍ରଚର୍ଚ୍ଚାରେ ଅତିବାହିତ କରନ୍ତି । ମହାରାଜଙ୍କର ଗୋଟିଏ ସୁସଜ୍ଜିତ ସଂସ୍କୃତ ପୁସ୍ତକାୟ ଅଛି। ଉଲ୍ଲିଖିତ ବିବରଣୀରୁ ପାଠକ ସହଜରେ ବୁଝିପାରିବେ ଯେ ଏହି ପୁସ୍ତକାଳୟଟି ନିତାନ୍ତ ପୋଷାକୀ ପୁସ୍ତକାଳୟ ନୁହେ। ମହାରାଜ ସ୍ୱୟଂ ସଂସ୍କୃତାନୁରାଗୀ, ଏମନ୍ତ ସ୍ଥଳରେ ରାଜ୍ୟ ମଧ୍ୟରେ ସଂସ୍କୃତ ବିଦ୍ୟାଳୟର ଅଭାବ ଆପାତତଃ ଆଶ୍ଚର୍ଯ୍ୟଜନକ ବୋଧ ହୋଇପାରେ । ପ୍ରକୃତ କଥା ଏହି ଯେ, ଏ ବିଷୟରେ ମହାରାଜ ପ୍ରଗାଢ଼ ଯତନ କରି ସୁଦ୍ଧା ସ୍ଥାନୀୟ ବ୍ରାହ୍ମଣମାନଙ୍କର ଅଗ୍ରାହକତା ଏବଂ ଅନାସ୍ଥା ନିବନ୍ଧନ ଅକୃତକାର୍ଯ୍ୟ ହୋଇଅଛନ୍ତି ।

 

ବାମଣ୍ଡାର ଚିକିତ୍ସାଳୟର ବନ୍ଦୋବସ୍ତ ଅତି ସୁନ୍ଦର । ଔଷଧ, ପଥ୍ୟ ଦ୍ରବ୍ୟ ଏବଂ ଯନ୍ତ୍ରାଦିର ଅଭାବ ନାହିଁ । ମଫସଲରେ ଲୋକମାନଙ୍କୁ ବସନ୍ତ ରୋଗରୁ ରକ୍ଷାକରିବା ନିମନ୍ତେ ଟିକାଦାତାମାନେ ଗ୍ରାମ ଗ୍ରାମ ଭ୍ରମଣ କରୁଅଛନ୍ତି । ଚିକିତ୍ସାଳୟରେ ରେଜିଷ୍ଟରୀ ଦୃଷ୍ଟିରେ ଜଣାଗଲା ଯେ ଏଠାରେ ଡାକ୍ତରମାନେ ନିତାନ୍ତ ରାଜ-ମୋସାହେବ ନୁହନ୍ତି, ବାସ୍ତବିକ ଏମାନଙ୍କୁ ମୁଣ୍ଡ ତତାଇ ହାଣ୍ଡି ତତାଇବାକୁ ହୁଏ ।

 

ମହାରାଜ ପ୍ରାୟ ୩-୪ ବର୍ଷ ହେଲା ଗୋଟିଏ ମୁଦ୍ରାଯନ୍ତ୍ର ସ୍ଥାପନ କରିଅଛନ୍ତି । ରାଜଭ୍ରାତା ଶ୍ରୀଯୁକ୍ତ ବାବୁ ବୃନ୍ଦାବନଚନ୍ଦ୍ର ଦେବ ମହୋଦୟ ଏହି ପ୍ରେସ୍‌ର କାର୍ଯ୍ୟାଧ୍ୟକ୍ଷସ୍ୱରୂପ ନିଯୁକ୍ତ ହୋଇଅଛନ୍ତି । ବୃନ୍ଦାବନବାବୁ ଜଣେ ସୁଶିକ୍ଷିତ ଏବଂ କାର୍ଯ୍ୟଦକ୍ଷ ବ୍ୟକ୍ତି । ଶିଳ୍ପକୌଶଳରେ ମହାରାଜାର ତୁଲ୍ୟକକ୍ଷ ବୋଲି ଏହାଙ୍କର ପ୍ରତିଷ୍ଠା ଅଛି । ମୁଦ୍ରାଯନ୍ତ୍ର ଚଳାଇବା ବିଷୟରେ ମଫସଲସୁଲଭ ନାନାବିଧ ବାଧା ଏବଂ ଅସୁବିଧା ଅତିକ୍ରମ କରି ଏ ମହାଶୟ ଯେମନ୍ତ ଦକ୍ଷତା ସହିତ ପ୍ରେସ୍ ଚଳାଉଅଛନ୍ତି, ସେଥିରୁ ବୋଧହୁଏ ଯେ ଏହି ମୁଦ୍ରାଯନ୍ତ୍ର ଅଳ୍ପ ସମୟ ମଧ୍ୟରେ ଆତ୍ମପୋଷଣକ୍ଷମ ହୋଇପାରିବ ।

 

କଳାହାଣ୍ଡିର କୁମାର ଶ୍ରୀଯୁକ୍ତ ରାମଚନ୍ଦ୍ର ନିନାଦେଓ ଦୁର୍ଦୈବବଶତଃ ଘଟନାବିପାକରେ ପୈତୃକ ରାଜ୍ୟରୁ ବଞ୍ଚିତ ହୋଇ ସମ୍ପ୍ରତି ବାମଣ୍ଡା ମହାରାଜଙ୍କ ଆଶ୍ରୟରେ ରାଜଭବନ ଅନତିଦୂରରେ ଅବସ୍ଥାନ କରୁଅଛନ୍ତି । ନିନାବାବୁ ଜଣେ ତେଜସ୍ୱୀ ପୁରୁଷ, ମୃଗୟା ଏବଂ ଅସ୍ତ୍ରଚାଳନାରେ ବିଲକ୍ଷଣ ପଟୁ । ରାଜ୍ୟକୁ ବନ୍ୟଜନ୍ତୁର ଉପଦ୍ରବରୁ ରକ୍ଷା କରିବାର ଭାର ସମ୍ପ୍ରତି ଏହାଙ୍କ ହସ୍ତରେ ନ୍ୟସ୍ତ ଥିବା ପ୍ରାୟ ବୋଧହୁଏ । ଏହାଙ୍କ ରଚିତ ‘‘ଜଳଧର-ଚଉତିଶା’’ ଏବଂ ‘‘ରସତରଙ୍ଗିଣୀ’’ ଏହାଙ୍କର ରୁଚି ଏବଂ ରଚନାଶକ୍ତିର ଆଂଶିକ ପରିଚାୟକରୂପେ ଗୃହୀତ ହୋଇପାରେ । ଆମ୍ଭେମାନେ ଏହାଙ୍କର ଉଦାରତା ଏବଂ ଅମାୟିକତା ଦେଖି ମୋହିତ ହୋଇଥିଲୁଁ-

 

ମହାରାଜ ଯେ ବିପଦରେ ଏହାଙ୍କର ସହାୟ ହୋଇ ଏହାଙ୍କୁ ଆଶ୍ରୟ ପ୍ରଦାନ କରିଅଛନ୍ତି, ଏହା ତାହାଙ୍କର ମହତ୍ତ୍ୱ ଏବଂ ଆଭିଜାତ୍ୟର ସମୁଚିତ ହୋଇଅଛି ।

 

ଶାସନ ଏବଂ ରାଜସ୍ୱ ବିଭାଗର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରେ ଉପଯୁକ୍ତ ଏବଂ ସତ୍‌ପ୍ରକୃତିକ ଲୋକର ଅଭାବ ନାହିଁ । ମାତ୍ର ଏମାନଙ୍କର ବେତନ ପଦୋଚିତ ଏବଂ ଦାୟିତ୍ୱନୁରୂପ ବୋଧହେଲାନାହିଁ । ଏହା ସତ୍ୟ ଯେ ସ୍ୱୟଂ ମହାରାଜ ଶାସନଯନ୍ତ୍ରର ପ୍ରଧାନ ଚାଳକ ଏବଂ ତାହାଙ୍କର ତୀବ୍ର ଏବଂ ମର୍ମଭେଦୀ ଦୃଷ୍ଟି ପ୍ରତ୍ୟେକ କର୍ମଚାରୀର କାର୍ଯ୍ୟର ଉତ୍କର୍ଷାପକର୍ଷ ଅବକଳନା କରୁଅଛି । ମାତ୍ର ଏହା କହିଲେ ଯେ ପ୍ରାକ୍ତ ଅଳ୍ପ ବେତନ ସମର୍ଥିତ ହେଲା, ତାହା ନୁହେଁ ।

 

ବାମଣ୍ଡାରେ ଆମ୍ଭେମାନେ ଯେତେଦିନ ଥିଲୁଁ, ଏହି ସମୟ ମଧ୍ୟରେ ଆମ୍ଭମାନଙ୍କର ସମଭିବ୍ୟାହାରୀ କେତେକ ବ୍ୟକ୍ତି ପୀଡ଼ିତ ହେଲେ । ଏ ସମୟରେ ମହାରାଜଙ୍କର ଆଶାତୀତ ସୌଜନ୍ୟ ଦେଖି ଆମ୍ଭେମାନେ କି ପର୍ଯ୍ୟନ୍ତ ପ୍ରୀତ ହୋଇଥିଲୁଁ, ତାହା କହିନପାରୁଁ । ମହାରାଜ ପ୍ରାୟ ପ୍ରତ୍ୟେହ ଦୁଇଥର ଆମ୍ଭମାନଙ୍କ ବସାକୁ ରୋଗୀଙ୍କର ତତ୍ତ୍ୱ ନେଉଥିଲେ ଏବଂ ରୋଗୀଙ୍କର ଯେତେବେଳେ ଯାହା ଆବଶ୍ୟକ ହେଉଥିଲା, ଯଥାସମୟରେ ତାହା ଯୋଗାଇବାର ସୁବ୍ୟବସ୍ଥା କରାଇ ଦେଉଥିଲା ।

 

ମହାରାଜଙ୍କ ଅଧିକାଂଶ କାର୍ଯ୍ୟ ବିଚକ୍ଷଣତା ଏବଂ ଶ୍ରମଶୀଳତାର ପରିଚାୟକ । ବ୍ୟସନ ଏହାକୁ ସ୍ପର୍ଶ କରି ନାହିଁ। ଅଧିକାଂଶ ରାଜାମାନଙ୍କ ପରି ନିଷ୍କର୍ମା ଭାଗ୍ୟବାନ୍ ହୋଇ ସନ୍ତୁଷ୍ଟ ରହିବାର ଏହାଙ୍କର ପ୍ରକୃତିବିରୁଦ୍ଧ ବୋଧହୁଏ । ଦୁର୍ଭାଗ୍ୟକ୍ରମେ ଅଧିକାଂଶ ରାଜା ରାଜପଣ ପାଇ ମନୁଷ୍ୟପର ହରାନ୍ତି । ଏମାନଙ୍କଠାରୁ ଦୈବାଧୀନ ରାଜପଣ ବାଦ୍‌ ଦିଅ, ବାକି କ’ଣ ରହିଲା ? ବାକି କେବଳ ଗୋଟିଏ ଅକର୍ମଣ୍ୟ ବ୍ୟସନୀ ପୁରୁଷ । ବାସୁଦେବଙ୍କ କାର୍ଯ୍ୟାବଳୀ ଦେଖିଲେ ସ୍ୱୟଂ ଈର୍ଷା ସୁଦ୍ଧା କହି ପାରିବ ନାହିଁ । ରାଜପଣ ବାଦ୍‌ ଦିଅ, ମହାରାଜ ବାସୁଦେବ ତଥାଚ ନରରାଜ । ପ୍ରକୃତିର ନରରାଜଙ୍କ ହସ୍ତରେ ଦୈବାଧୀନ ରାଜପଣ ନ୍ୟସ୍ତ ହେଲେ ଯେମନ୍ତ ହେବାର ଉଚିତ, ବାସୁଦେବ ସମ୍ପୂର୍ଣ୍ଣରୂପେ ନ ହେଉ, ଅନ୍ତତଃ ବହୁପରିମାଣରେ ସେହିପରି ହୋଇଅଛନ୍ତି ଏବଂ ଏପରି ରାଜପଣ ସମୟରେ ରାଜ୍ୟର ଯେମନ୍ତ ଉନ୍ନତି ହେବାର ଉଚିତ, ବାମଣ୍ଡା ସେହି ଉନ୍ନତିରୁ ବଞ୍ଚିତ ହୋଇନାହିଁ ।

 

ଦେବଗଡ଼ରେ ସ୍ତାବକମାନଙ୍କର ସମୟସମୟରେ କିପରି ସତ୍କାର ହୁଏ, ନିମ୍ନୋକ୍ତ ଘଟନା ସେଥିର ପରିଚାୟକ । ଦିନେ କଥୋପକଥନ ପ୍ରସଙ୍ଗରେ କୌଣସି ବିଷୟରେ ମହାରାଜଙ୍କ ସହିତ ମୋହର ସହିତ ମୋହର ମତାନ୍ତର ହେଲା । ଅନେକ ବିତଣ୍ଡା ପରେ ମହାରାଜ କହିଲେ, ‘‘ଆପଣ ଯାହା କହିଲେ, ମୁଁ ତହିଁରେ ଏକମତ ହୋଇ ପାରୁ ନାହିଁ । ଆପଣଙ୍କ ମତ ଇଉରୋପୀୟ ମତ ଅନୁସାରେ ଗଠିତ, ଆପଣ ସାହେବୀ ମତର ଅଯଥା ପକ୍ଷପାତୀ ।’’ ମୁଁ ବିହିତ ଉତ୍ତର ଦେଇ କାର୍ଯ୍ୟାନୁରୋଧରେ ବସାକୁ ଆସିଲି । ମୋହର ଅନୁପସ୍ଥିତି ସମୟରେ ମହାରାଜ ପାର୍ଶ୍ୱଚରମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ନିଜ ମତ ପଚାରିଲେ । ପାର୍ଶ୍ୱଚର ଉତ୍ତର କଲେ; ‘‘ମଣିମା, ଛାମୁରୁ ଯେଉଁ ଆଜ୍ଞା ହେଲା, ପ୍ରମାଣ, ଏ ସାହେବମାନଙ୍କ କଥାରେ ଭୁଲିଅଛନ୍ତି । କେତେ ସାହେବ ଆସି ବାଡ଼ିତଳେ ପଡ଼ିଅଛନ୍ତି ।’’ ମହାରାଜ ଶୁଣି ଈଷଦ୍ଧାସ୍ୟ କରି କହିଲେ, ‘‘ତୁମେ ମୋ ସନ୍ତୋଷପାଇଁ ମୋ ଆଗରେ ଯେମନ୍ତ କହିଲ, ସାହେବ ଆଗରେ କାଳେ ଏ କଥା ନ କହ ଯେ-ହଜୁର ! କେତେ ରାଜା ଆପଣଙ୍କ ବାଡ଼ିତଳେ ପଡ଼ିଅଛନ୍ତି ।’’

 

ବାମଣ୍ଡାର ପଶ୍ଚିମ ଏବଂ ଉତ୍ତରାଂଶ ଦେଖିବା ପାଇଁ ଆମ୍ଭେମାନେ ସମୟ ପାଇଲୁଁ ନାହିଁ-

 

ଗଡ଼ରୁ-ସମ୍ବଲପୁରକୁ ଗୋଟିଏ ପ୍ରଶସ୍ତ ପକ୍‌କା ସଡ଼କ ଯାଇଥିବାର ଶୁଣିଲୁଁ । ଏହି ସଡ଼କରେ ସମ୍ବଲପୁରକୁ ଡାକ ଆସେ । କୋଚିଣ୍ଡା ନାମକ ବାମଣ୍ଡାର ଗୋଟିଏ ଉର୍ବରା ଏବଂ ସମୃଦ୍ଧିଶାଳୀ ସବ୍‌-ଡିଭିଜନ ଏହି ସଡ଼କର ଉତ୍ତରାଂରେ ଅବସ୍ଥିତ । ବାମଣ୍ଡାର ଉତ୍ତରାଂଶ ନିରବଚ୍ଛିନ୍ନ ପର୍ବତ-ସମାକୀର୍ଣ୍ଣ । କୃଷିଯୋଗ୍ୟ ଭୂମି ଏ ଅଞ୍ଚଳରେ ନିତାନ୍ତ ବିରଳ। ବାମଣ୍ଡାରୁ ଲହଡ଼ା ଆସିବାକୁ ଆମ୍ଭମାନଙ୍କୁ ତିନି ଦିନ ଲାଗିଲା । ମାର୍ଗରେ ବସାଇ, ତଅଁରା, ବାରକୂଟ, କଳାସଇତା ପ୍ରଭୃତି ସ୍ଥାନମାନ ଦେଖି ଆସିଲୁଁ । ପ୍ରତ୍ୟେକ ଗ୍ରାମର ଗଳି ଗଳି ସଡ଼କ। ଅଧିକାଂଶ ଗ୍ରାମ ଟଙ୍କ (ଟାଙ୍ଗି) ଭୂମିରେ ଅବସ୍ଥିତ ହେବାରୁ ବିନା ଯତ୍ନ ଏବଂ ବ୍ୟୟରେ ସଡ଼କମାନ ପକ୍‌କା ସଡ଼କ ପରି ହୋଇଅଛି-। ବାରକୂଟ ଗ୍ରାମ ବ୍ରାହ୍ମଣୀର ପୂର୍ବତୀରବର୍ତ୍ତୀ । ଏଠାରେ ବର୍ଷର ଅଧିକାଶଂ ସମୟରେ ବାୟୁ ପ୍ରାୟ ଝଟିକାକାରରେ ବହୁଥାଏ ।

 

ଚୁଳିଆ ଏବଂ ଅନ୍ୟାନ୍ୟ ପର୍ବତର ସାନ୍ନିଧ୍ୟ ହେତୁରୁ ସ୍ଥାନର ଦୃଶ୍ୟ ଅତି ସୁନ୍ଦର । ଏଠାରେ ରାଜାଙ୍କର ଥାନା, ଗୋଦାମ ଏବଂ ରମ୍ଭା ନାମ୍ନୀ ଗ୍ରାମଦେବୀଙ୍କର ମନ୍ଦିର ଅଛି । କଳାସଇତା ଗ୍ରାମ ଗୋଟିଏ କ୍ଷୁଦ୍ର ସହର ପରି ବୋଧହୁଏ । ଦୀର୍ଘକାଳ ରାଜଧାନୀ ପରିତ୍ୟାଗ ଉତ୍ତାରୁ ରାଜ୍ୟର ଅନ୍ତର୍ବର୍ତ୍ତୀ ଜନପଦରେ ପରିଭ୍ରମଣକାଳୀନ ଆମ୍ଭମାନଙ୍କର କୌଣସି କଷ୍ଟ ହୋଇନାହିଁ ।

 

ମହାରାଜଙ୍କଠାରୁ ଆମ୍ଭେମାନେ ବିଦାୟ ହୋଇ ଆସିଥିଲୁଁ ସତ୍ୟ, ମାତ୍ର ତାହାଙ୍କର ସୌଜନ୍ୟର ପ୍ରଭାବ ସମଗ୍ର ରାଜ୍ୟବ୍ୟାପୀ ପ୍ରାୟ ବୋଧହେଲା ଏବଂ ସମଗ୍ର ଜନପଦବାସୀ ସେହି ସୌଜନ୍ୟଦ୍ୱାରା ସଂକ୍ରମିତ ପ୍ରାୟ ବୋଧ ହେଉଥିଲେ ।